ବନ୍ଧରେ ବୁଡ଼ି ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା , ଦାଦନ ଖଟିବାକୁ ବାହାରେ ଦୁଇ ପୁଅ, ବାପାଙ୍କୁ ମୁଖାଗ୍ନି ଦେବାକୁ ମିଳିଲାନି ସୁଯୋଗ; ଅସହାୟ ହୋଇପଡ଼ିଲେ ବୃଦ୍ଧା ପତ୍ନୀ

Oct 18, 2026 - 22:26
 0  55
ବନ୍ଧରେ ବୁଡ଼ି ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା ,  ଦାଦନ ଖଟିବାକୁ ବାହାରେ ଦୁଇ ପୁଅ, ବାପାଙ୍କୁ ମୁଖାଗ୍ନି ଦେବାକୁ ମିଳିଲାନି ସୁଯୋଗ; ଅସହାୟ ହୋଇପଡ଼ିଲେ ବୃଦ୍ଧା ପତ୍ନୀ

ବନ୍ଧରେ ବୁଡ଼ି ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ଦାଦନ ଖଟିବାକୁ ବାହାରେ ଦୁଇ ପୁଅ, ବାପାଙ୍କୁ ମୁଖାଗ୍ନି ଦେବାକୁ ମିଳିଲାନି ସୁଯୋଗ; ଅସହାୟ ହୋଇପଡ଼ିଲେ ବୃଦ୍ଧା ପତ୍ନୀ

ଧରାକୋଟ, ମାଣିକ୍ୟପୁର (ରିପୋର୍ଟ: ଶଙ୍କର ପାଣିଗ୍ରାହୀ), ୧୮/୧୦/୨୦୨୬ :  ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ସନ୍ତୋଷ ସ୍ୱାଇଁ (୫୬)ଙ୍କ ବନ୍ଧରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ସନ୍ତୋଷ ଜାଳେଣି କାଠ ଚିରିବା କାମ ସାରି ଅପରାହ୍ନ ପ୍ରାୟ ୩ଟା ସମୟରେ ଗ୍ରାମର ପଶ୍ଚିମ ପାର୍ଶ୍ୱରେ ଥିବା ବଡ଼ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ କୌଣସି କାରଣରୁ ସେ ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ସେହି ସମୟରେ ବନ୍ଧ ନିକଟରେ କେହି ଉପସ୍ଥିତ ନଥିବାରୁ ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ। ଦୀର୍ଘ ସମୟ ଧରି ସନ୍ତୋଷ ଘରକୁ ନଫେରିବାରୁ ତାଙ୍କ ପତ୍ନୀ ତାଙ୍କୁ ଖୋଜାଖୋଜି କରିଥିଲେ। ଶେଷରେ ଅପରାହ୍ନ ପ୍ରାୟ ୫ଟା ସମୟରେ ସନ୍ତୋଷଙ୍କ ମୃତଦେହ ବନ୍ଧ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ଜାଣିବା ପରେ ଗ୍ରାମବାସୀ ତୁରନ୍ତ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବଡ଼ଗଡ଼ ଥାନାକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପାଣିରୁ ମୃତଦେହ ଉଦ୍ଧାର କରିଥିବା ବେଳେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ତେବେ ଏହି ଘଟଣାର ସବୁଠାରୁ ହୃଦୟବିଦାରକ ଦିଗ ହେଉଛି ପରିବାରର ଦୁଃଖଦ ପରିସ୍ଥିତି। ସନ୍ତୋଷଙ୍କ ଦୁଇ ପୁଅ ଓ ଦୁଇ ବୋହୂ ଜୀବିକା ନିର୍ବାହ ପାଇଁ ଗାଁ ଛାଡ଼ି ବାହାରେ ରହୁଛନ୍ତି। ଫଳରେ ବାପାଙ୍କ ମୃତ୍ୟୁ ସମୟରେ ଦୁଇ ପୁଅ ନିକଟରେ ଉପସ୍ଥିତ ରହିପାରିନଥିବା ଜଣାପଡ଼ିଛି। ଅନ୍ୟପଟେ ରୋଗାକ୍ରାନ୍ତ ବୃଦ୍ଧା ପତ୍ନୀ ସ୍ୱାମୀଙ୍କୁ ହରାଇ ଅସହାୟ ହୋଇପଡ଼ିଛନ୍ତି। ଏଭଳି ଦୁଃଖଦ ସମୟରେ ଗ୍ରାମବାସୀ ଓ ବନ୍ଧୁବର୍ଗ ଶେଷକୃତ୍ୟ ସମ୍ପନ୍ନରେ ସହଯୋଗ କରିବେ ବୋଲି ଜଣାପଡ଼ିଛି। ଏହି ଘଟଣା ପୁଣିଥରେ ଦାଦନ ସମସ୍ୟାର କରୁଣ ଚିତ୍ରକୁ ସାମ୍ନାକୁ ଆଣିଛି। ପରିବାର ପ୍ରତିପୋଷଣ ପାଇଁ ଗାଁ ଛାଡ଼ି ବାହାରକୁ ଯାଉଥିବା ଲୋକଙ୍କ ପାଇଁ ଏଭଳି ଦୁଃଖଦ ସମୟରେ ନିଜ ପରିବାର ପାଖରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ସରକାର ବଦଳୁଛନ୍ତି, ସମୟ ବିତୁଛି; ହେଲେ କେବେ ଦୂର ହେବ ଦାଦନ ଦୁଃଖ? କେବେ ନିଜ ଗାଁରେ ରୋଜଗାର ପାଇ ଲୋକେ ପରିବାର ସହ ଶାନ୍ତିରେ ରହିପାରିବେ? ଏଭଳି ଅନେକ ପ୍ରଶ୍ନ ଆଜି ପୁଣିଥରେ ସାମ୍ନାକୁ ଆସିଛି। ଦାଦନ ସମସ୍ୟାର ସମାଧାନ କେବେ? ଏହାର ଉତ୍ତର ଅପେକ୍ଷାରେ ରହିଛନ୍ତି ଅନେକ ପରିବାର।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0