ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ HIV/AIDS ଓ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Oct 13, 2026 - 08:10
 0  17
ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ HIV/AIDS ଓ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ HIV/AIDS ଓ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ଼, ୧୨.୧୦.୨୦୨୬ (ରିପୋର୍ଟର -  ବାପୁନି ସେଠୀ) : ଶେରଗଡ଼ ସ୍ଥିତ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ୟୁନିଟ୍ ଆନୁକୂଲ୍ୟରେ ଏବଂ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ HIV/AIDS ଓ ଯକ୍ଷ୍ମା (TB) ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ସଚେତନତା ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବାଡତ୍ୟା ସଭାପତିତ୍ୱ କରିଥିଲେ। ଅଧ୍ୟକ୍ଷ ଶ୍ରୀ ବାଡତ୍ୟା ନିଜ ଅଭିଭାଷଣରେ କହିଥିଲେ ଯେ, "ଯୁବସମାଜ ବିଶେଷ କରି ଛାତ୍ରଛାତ୍ରୀମାନେ ହେଉଛନ୍ତି ସଚେତନତାର ପ୍ରମୁଖ ବାହକ। ସ୍ବାସ୍ଥ୍ୟ ସମ୍ପର୍କିତ ସଠିକ୍ ଜ୍ଞାନ ଗ୍ରହଣ କରି ସେମାନେ ଜନ ସାଧାରଣକୁ ସଚେତନ କରାଇ ପାରିଲେ ସମାଜରୁ ବିଭିନ୍ନ ମାରାତ୍ମକ ରୋଗର ମୂଳୋତ୍ପାଟନ ହୋଇ ପାରିବ।"ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଶିଶିର କାନ୍ତ ତ୍ରିପାଠୀ ଯୋଗଦେଇ କହିଥିଲେ ଯେ, "ଅଜ୍ଞାନତା ଓ ସାମାଜିକ କୁସଂସ୍କାର ଯୋଗୁଁ HIV/AIDS ଏବଂ ଯକ୍ଷ୍ମା ଭଳି ରୋଗ ସମାଜରେ ବ୍ୟାପିଥାଏ। ନିୟମିତ ସଚେତନତା ଓ ଆଗୁଆ ପରୀକ୍ଷା ଦ୍ୱାରା ଏହି ରୋଗଗୁଡ଼ିକର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ।" ସେହିପରି ସମ୍ମାନୀତ ଅତିଥି ଭାବେ ଶୈକ୍ଷିକ ଅଧିକାରୀ ରୀତାରାଣୀ ସ୍ବାଇଁ ଯୋଗଦେଇ ବିଦ୍ୟାଳୟ ସ୍ତରରୁ ଏଭଳି ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ICTC କାଉନସିଲର କାମନା ରଞ୍ଜନ ପଣ୍ଡା HIV/AIDSର କାରଣ, ଲକ୍ଷଣ, ସଂକ୍ରମଣରୁ ବର୍ତ୍ତିବାର ଉପାୟ ଏବଂ ସମାଜରେ ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଯକ୍ଷ୍ମା ପରାମର୍ଶଦାତା ପ୍ରଫୁଲ୍ଲ କୁମାର ମିଶ୍ର ଯକ୍ଷ୍ମା ରୋଗର ମାଗଣା ଚିକିତ୍ସା, ସରକାରୀ ସୁବିଧା ଏବଂ ନିୟମିତ ଔଷଧ ସେବନ ଦ୍ୱାରା ଏହା ସମ୍ପୂର୍ଣ୍ଣ ଭଲ ହୋଇପାରିବ ବୋଲି ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁବ ରେଡକ୍ରସ୍ ସଂଯୋଜିକା ଉତ୍କଳିକା ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସହ-ସଂଯୋଜିକା ଜ୍ୟୋସ୍ନା ରାଣୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତେ ସହଯୋଗ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0