ଦୀର୍ଘ ୮ ବର୍ଷର ନିରବଚ୍ଛିନ୍ନ ସଂଗ୍ରାମ ଆଣିଲା ଐତିହାସିକ ସଫଳତା: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ପରେ ସମଗ୍ର ଛାତ୍ର ସମାଜକୁ ଏଆଇଡିଏସଓ ର ସଂଗ୍ରାମୀ ଅଭିନନ୍ଦନ ।

Oct 6, 2026 - 06:49
Oct 6, 2026 - 08:34
 0  4

ଦୀର୍ଘ ୮ ବର୍ଷର ନିରବଚ୍ଛିନ୍ନ ସଂଗ୍ରାମ ଆଣିଲା ଐତିହାସିକ ସଫଳତା: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ପରେ ସମଗ୍ର ଛାତ୍ର ସମାଜକୁ ଏଆଇଡିଏସଓ ର ସଂଗ୍ରାମୀ ଅଭିନନ୍ଦନ ।

ବ୍ରହ୍ମପୁର, ୦୫/୧୦(ଜାଗୃତି ଖବର) : ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ତଥା ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ଦାବିରେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିବା ଧାରାବାହିକ ତଥା ସାଲିସହୀନ ଆନ୍ଦୋଳନ ଆଗରେ ରାଜ୍ୟ ସରକାର ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଭାରତବର୍ଷର ଅଗ୍ରଣୀ ଲଢୁଆ ଛାତ୍ର ସଂଗଠନ ଏଆଇଡିଏସଓ (AIDSO)ର ନିରନ୍ତର ସଂଗ୍ରାମ ଓ ଚାପ ଫଳରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନର ଚୂଡ଼ାନ୍ତ ତାରିଖ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଐତିହାସିକ ବିଜୟ ପାଇଁ ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଏବଂ ସମ୍ପାଦକ ସିଦ୍ଧାର୍ଥ ରଥ ଏକ ମିଳିତ ପ୍ରେସ ବିବୃତି ମାଧ୍ୟମରେ ସମଗ୍ର ଛାତ୍ର ସମାଜକୁ ହାର୍ଦ୍ଦିକ ସଂଗ୍ରାମୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ନେତୃବୃନ୍ଦ କହିଛନ୍ତି ଯେ, ଏହି ସଫଳତା ପ୍ରମାଣିତ କରିଛି ଯେ ଆନ୍ଦୋଳନ ହିଁ ହେଉଛି ନ୍ୟାଯ୍ୟ ଦାବି ହାସଲର ଏକମାତ୍ର ପଥ। ସଚେତନ, ଦାୟିତ୍ୱବାନ ଛାତ୍ରଛାତ୍ରୀମାନଙ୍କ ଏକ ଆଦର୍ଶଭିତ୍ତିକ ସଂଗ୍ରାମ ହିଁ ପ୍ରକୃତ ବିଜୟ ଆଣିଦେଇଥାଏ। ତେବେ ଛାତ୍ର ସମାଜର ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଏଆଇଡିଏସଓର ଲଢ଼େଇ ଏତିକିରେ ଅଟକିବ ନାହିଁ; ଆଗାମୀ ଦିନରେ ଏହି ସଂଗ୍ରାମ ଆହୁରି ତୀବ୍ରତର ହେବ।

ସେମାନେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ତଥାକଥିତ 'ମଡେଲ କୋଡ୍ ଅଫ୍ କଣ୍ଡକ୍ଟ' ଲାଗୁ କରି ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଅଧିକାର ଖର୍ବ କରିବା ପାଇଁ ଯେଉଁ ଅପଚେଷ୍ଟା ଚଳାଇଛନ୍ତି, ତାହା ବିରୁଦ୍ଧରେ ସଂଗଠନ ନିଜର ଆନ୍ଦୋଳନ ଜାରି ରଖିବ। ଏଥିସହିତ ସମ୍ପୂର୍ଣ୍ଣ ଶିକ୍ଷା ଧ୍ୱଂସକାରୀ 'ଜାତୀୟ ଶିକ୍ଷାନୀତି (NEP) ୨୦୨୦' ବିରୁଦ୍ଧରେ ମଧ୍ୟ ଏଆଇଡିଏସଓର ଲଢ଼େଇ ଅବ୍ୟାହତ ରହିବ।

ଶେଷରେ, ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏଆଇଡିଏସଓର ନୀତିନିଷ୍ଠ, ଲଢୁଆ ଓ ସଂଗ୍ରାମୀ ପ୍ରାର୍ଥୀମାନଙ୍କୁ ବିପୁଳ ମାତ୍ରାରେ ଜୟଯୁକ୍ତ କରାଇ କ୍ୟାମ୍ପସରେ ଗଣତାନ୍ତ୍ରିକ ପରିବେଶ ତଥା ସାମଗ୍ରିକ ଛାତ୍ର ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେମାନେ ଛାତ୍ର ସମାଜକୁ ଆହ୍ୱାନ ଜଣାଇଛନ୍ତି।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0