ଏମ୍‌କେୟୁୱାଇ ସବସିଡି ମୁକ୍ତି ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ସିଡିଏଓ

Aug 13, 2026 - 21:09
 0  4
ଏମ୍‌କେୟୁୱାଇ ସବସିଡି ମୁକ୍ତି ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ସିଡିଏଓ

ଏମ୍‌କେୟୁୱାଇ ସବସିଡି ମୁକ୍ତି ପାଇଁ ୧୫ ହଜାର ଟଙ୍କା ଲାଞ୍ଚ  ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ସିଡିଏଓ ।

ବ୍ରହ୍ମପୁର, ୧୩/୦୮(ଜାଗୃତି ଖବର ) : ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମ୍‌କେୟୁୱାଇ) ଅଧୀନରେ ସବସିଡି ଟଙ୍କା ମୁକ୍ତି ପାଇଁ ଜଣେ ହିତାଧିକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବ୍ରହ୍ମପୁରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ବ୍ୟୋମକେଶ ମିଶ୍ର। ସୂଚନା ଅନୁଯାୟୀ, ଏକୀକୃତ କୃଷି ପ୍ରଣାଳୀ (Integrated Farming Systems) ଅଧୀନରେ ଏମ୍‌କେୟୁୱାଇ ଯୋଜନାରେ ହିତାଧିକାରୀଙ୍କ ଫାଇଲ୍‌ ପ୍ରକ୍ରିୟାକରଣ ଏବଂ ସବସିଡି ଟଙ୍କା ମୁକ୍ତି କରାଇବା ପାଇଁ ସିଡିଏଓ ଶ୍ରୀ ମିଶ୍ର ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଯୋଜନାର ନିୟମ ଅନୁଯାୟୀ, କୃଷି ଓ ଭିତ୍ତିଭୂମିରେ ବିନିଯୋଗ ହୋଇଥିବା ଅର୍ଥର ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଭାବେ ହିତାଧିକାରୀଙ୍କୁ ମିଳିବାର ବ୍ୟବସ୍ଥା ରହିଛି ଅଭିଯୋଗକାରୀ ଗତ ପ୍ରାୟ ଦୁଇ ମାସ ଧରି ନିଜ ଫାଇଲ୍‌ ପ୍ରକ୍ରିୟାକରଣ ପାଇଁ ସିଡିଏଓଙ୍କୁ ଅନୁରୋଧ କରିଆସୁଥିଲେ। ତେବେ ଫାଇଲ୍‌ ପ୍ରକ୍ରିୟାକରଣ ନକରି ସିଡିଏଓ ଶ୍ରୀ ମିଶ୍ର ବର୍ତ୍ତମାନ ୧୫ ହଜାର ଟଙ୍କା ଏବଂ ସବସିଡି ଟଙ୍କା ମୁକ୍ତି ସମୟରେ ନିର୍ଦ୍ଦିଷ୍ଟ ପ୍ରତିଶତ ଅର୍ଥ ଦାବି କରିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ଆଜି ହିତାଧିକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ସିଡିଏଓ ବ୍ୟୋମକେଶ ମିଶ୍ରଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୧୫ ହଜାର ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି। ଟ୍ରାପ୍‌ ପରେ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ସମ୍ପର୍କିତ ତଦନ୍ତ ଦୃଷ୍ଟିରୁ ଶ୍ରୀ ମିଶ୍ରଙ୍କ ସହ ସମ୍ପର୍କିତ ତିନୋଟି ସ୍ଥାନରେ ଏକକାଳୀନ ଭାବେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଓ ତଲାସି ଜାରି ରହିଛି। ଏହି ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୦୮, ତାରିଖ ୧୨.୦୮.୨୦୨୬ରେ ପିସି ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସିଡିଏଓ ବ୍ୟୋମକେଶ ମିଶ୍ରଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0