ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ‘ଲକ୍ଷପତି ଦିଦି’ କର୍ମଶାଳା; ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ

Jul 22, 2026 - 10:02
 0  2

ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ‘ଲକ୍ଷପତି ଦିଦି’ କର୍ମଶାଳା; ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ

ସାନଖେମୁଣ୍ଡି, ଗଞ୍ଜାମ: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାଧ୍ୟମରେ ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାନଖେମୁଣ୍ଡି ବ୍ଲକରେ ବ୍ଲକ ସ୍ତରୀୟ ‘ଲକ୍ଷପତି ଦିଦି’ କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଉତ୍ସାହର ସହ ଆରମ୍ଭ ହୋଇଛି। ଏହି କର୍ମଶାଳା ତିନି ଦିନ ଧରି ଚାଲିବାକୁ ଥିବାବେଳେ ବିଭିନ୍ନ ପଞ୍ଚାୟତରୁ ୩୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇ ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟରେ ସାମିଲ ହୋଇ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ଆହ୍ୱାନ ଜଣାଇଥିଲେ।

ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁ ‘ଲକ୍ଷପତି ଦିଦି’ ଯୋଜନାର ଉଦ୍ଦେଶ୍ୟ, ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସ୍ୱରୋଜଗାରର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ଅଧିକାରିଣୀ, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜୟସେନ ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ଅମିନ ପ୍ରଧାନ, ଜିଲ୍ଲା ପରିଷଦ ପ୍ରତିନିଧି ଶଙ୍କରଷଣ ସ୍ୱାଇଁ ଓ ରାଜୀବ ପ୍ରଧାନ, ପୋଡାମାରି ସମିତି ସଭ୍ୟ ପ୍ରତିନିଧି ରାମେଶ୍ୱର ପାତ୍ର, ସାହସପୁର ପ୍ରତିନିଧି କୈଳାଶ ପାତ୍ର, ମୌଳାଭଞ୍ଜା ସରପଞ୍ଚ ବର୍ଷାରାଣୀ ସେଠୀ ଏବଂ ବିପିସି ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳା ସଶକ୍ତିକରଣ ଓ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ଉପରେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ। ଏଥିରେ ମହିଳାମାନେ ହସ୍ତଶିଳ୍ପ ସାମଗ୍ରୀ, ଘରୋଇ ଖାଦ୍ୟ ପଦାର୍ଥ, ପୋଷାକ, ଗୃହ ଉପଯୋଗୀ ସାମଗ୍ରୀ ଓ ଅନ୍ୟାନ୍ୟ ସ୍ୱନିର୍ମିତ ଉତ୍ପାଦ ପ୍ରଦର୍ଶନ କରିଥିଲେ। ଅତିଥିମାନେ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରି ମହିଳାମାନଙ୍କ ଉଦ୍ୟମ ଓ କାରିଗରୀ ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ।

ଶେଷରେ ବକ୍ତାମାନେ ମହିଳାମାନଙ୍କୁ ସରକାରୀ ଯୋଜନାର ସୁଯୋଗକୁ ସଦ୍‌ବ୍ୟବହାର କରି ସ୍ୱରୋଜଗାର ସୃଷ୍ଟି କରିବା, ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ଏବଂ ‘ଲକ୍ଷପତି ଦିଦି’ ହେବା ପାଇଁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଜନପ୍ରତିନିଧି ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0