୭ ହଜାର ଟଙ୍କା ବିଲ୍‌ ନମିଳିବାରୁ ସ୍କୁଲ ରେମ୍ପ୍‌ ଭାଙ୍ଗିଦେଲେ ନିର୍ମାଣକାରୀ, ପାଠପଢ଼ାରେ ବାଧା

Jul 12, 2026 - 07:46
 0  22

୭ ହଜାର ଟଙ୍କା ବିଲ୍‌ ନମିଳିବାରୁ ସ୍କୁଲ ରେମ୍ପ୍‌ ଭାଙ୍ଗିଦେଲେ ନିର୍ମାଣକାରୀ, ପାଠପଢ଼ାରେ ବାଧା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଡି ଗ୍ରାମ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଶ୍ରେଣୀଗୃହକୁ ଯିବା ପାଇଁ ନିର୍ମିତ ରେମ୍ପ୍‌କୁ ନିର୍ମାଣକାରୀ ନିଜେ ଭାଙ୍ଗି ଗୁଡ଼ି, ମାଟି, ପଥର ଓ ଇଟା ନେଇଯିବାରୁ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହକୁ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସକାଳେ ବିଦ୍ୟାଳୟକୁ ଆସିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ରେମ୍ପ୍‌ଟି ଭଙ୍ଗାଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ବିଶେଷକରି ଛୋଟ ପିଲାମାନେ ଶ୍ରେଣୀଗୃହକୁ ଯିବାରେ ସମର୍ଥ ହୋଇନଥିଲେ। ଖବର ପାଇ ଗ୍ରାମବାସୀ ବିଦ୍ୟାଳୟ ପରିସରରେ ପହଞ୍ଚିବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରତିବାଦ ସ୍ୱରୂପ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାହାରେ ବସିଥିଲେ।

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ପଞ୍ଚାୟତର ୱାର୍ଡ ମେମ୍ବର ବିଜୁଳି ପାତ୍ର ପ୍ରାୟ ୭ ହଜାର ଟଙ୍କା ବ୍ୟୟରେ ବିଦ୍ୟାଳୟ ଶ୍ରେଣୀଗୃହକୁ ଯିବା ପାଇଁ ରେମ୍ପ୍‌ ନିର୍ମାଣ କରିଥିଲେ। ତେବେ ଦୀର୍ଘ ସାତ ବର୍ଷ ବିତିଯାଇଥିଲେ ମଧ୍ୟ ସେ ନିର୍ମାଣ ବାବଦର ପ୍ରାପ୍ୟ ଅର୍ଥ ପାଇନଥିବା ଅଭିଯୋଗ କରିଛନ୍ତି। ବହୁଥର ସମ୍ପୃକ୍ତ ବିଭାଗ ଓ ବ୍ଲକ ଯନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ କ୍ଷୋଭରେ ସେ ରେମ୍ପ୍‌ଟି ଭାଙ୍ଗି ନିର୍ମାଣ ସାମଗ୍ରୀ ନେଇଥିବା କହିଛନ୍ତି।

ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମଦେବ ନାୟକ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ହସ୍ତକ୍ଷେପ ପରେ ସମ୍ପୃକ୍ତ ବ୍ୟକ୍ତି ପୁନର୍ବାର ରେମ୍ପ୍‌ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ତେବେ ଏହି ଘଟଣା ସରକାରୀ କାର୍ଯ୍ୟରେ ବିଲ୍‌ ପ୍ରଦାନରେ ବିଳମ୍ବ ଓ ଏହାର ପ୍ରଭାବ ଉପରେ ପ୍ରଶ୍ନ ଉଠାଇଛି।

ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0