ମାଣିକ୍ୟପୁର ମଣ୍ଡଳରେ ଶେଷ ହେଲା ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସାମ୍ନାକୁ ଆସିଲା ଅନେକ ବ୍ୟତିକ୍ରମ ।

Sep 7, 2026 - 22:21
 0  23
ମାଣିକ୍ୟପୁର ମଣ୍ଡଳରେ ଶେଷ ହେଲା ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସାମ୍ନାକୁ ଆସିଲା ଅନେକ ବ୍ୟତିକ୍ରମ ।

ମାଣିକ୍ୟପୁର ମଣ୍ଡଳରେ ଶେଷ ହେଲା ଚାଷୀ ପଞ୍ଜିକରଣ ପ୍ରକ୍ରିୟା; ସାମ୍ନାକୁ ଆସିଲା ଅନେକ ବ୍ୟତିକ୍ରମ ।

ଧରାକୋଟ , ୦୭/୦୯/୨୦୨୬ (ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ମଣ୍ଡଳରେ ବହୁ ବାଧାବିଘ୍ନ ମଧ୍ୟରେ ଶେଷ ହୋଇଛି ଚାଷୀ ପଞ୍ଜିକରଣ ପ୍ରକ୍ରିୟା। ମାଣିକ୍ୟପୁର ସମବାୟ ସମିତି ଅଧୀନରେ ଥିବା ସାବା, ମଛାକୋଟ ଓ ମାଣିକ୍ୟପୁର ଭଳି ୩ଟି ପଞ୍ଚାୟତର ଚାଷୀ ଏହା ଉପରେ ନିର୍ଭର କରୁଥିବା ବେଳେ, ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ମୋଟ ୯୮୬ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ସେହିପରି ବଳରାମପୁର ସମବାୟ ସମିତିରେ ୩୫୦ ଜଣ ଏବଂ ଓଲମ୍ବା ସମବାୟ ସମିତି ଅଧୀନରେ ଥିବା ରୁଗୁମୁ ଓ ଓଲମ୍ବା ପଞ୍ଚାୟତର ୮୭୪ ଜଣ ଚାଷୀ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ସମୁଦାୟ ମଣ୍ଡଳରେ ପାଖାପାଖି ୩୦୦୦ଜଣ ଚାଷୀ ନିଜ ଅମଳ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ସୂଚନା ମିଳିଛି।

        ଚଳିତ ବର୍ଷ ପଞ୍ଜିକରଣ ପ୍ରକ୍ରିୟାକୁ ସଫଳ କରିବା ପାଇଁ ସମସ୍ତ ସମବାୟ ସମିତିର କର୍ମଚାରୀମାନଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିଥିବା ସେମାନେ ପ୍ରକାଶ କରିଛନ୍ତି। ତେବେ ଏହା ମଧ୍ୟରେ ଅନେକ ମନ୍ଦିର ଜମି ଓ ଗ୍ରାମ କୋଠା ଜମି ପଞ୍ଜିକରଣ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। କିଛି ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷର ଚାଷୀ ପଞ୍ଜିକରଣରେ ଅନେକ ବ୍ୟତିକ୍ରମ ଓ ଅନିୟମିତତା ଦେଖିବାକୁ ମିଳିଛି। କେତେକ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଦୀର୍ଘ ସମୟ ଧରି ଧାଡ଼ିରେ ରହିବା ସହ "ଆଗ ମୋର-ଆଗ ମୋର" କହି ପରସ୍ପର ମଧ୍ୟରେ ଝଗଡ଼ା କରୁଥିବାର ଅପ୍ରୀତିକର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।  

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0