ପ୍ରେସ କ୍ଲବ ସାନଖେମୁଣ୍ଡିର ପ୍ରୟାସର ପ୍ରଭାବ: ବିଡିଓଙ୍କ “ଗାଁକୁ ଚାଲ ଅଭିଯାନ” ଆରମ୍ଭ

Jun 13, 2026 - 16:46
 0  217
ପ୍ରେସ କ୍ଲବ ସାନଖେମୁଣ୍ଡିର ପ୍ରୟାସର ପ୍ରଭାବ: ବିଡିଓଙ୍କ “ଗାଁକୁ ଚାଲ ଅଭିଯାନ” ଆରମ୍ଭ

ପ୍ରେସ କ୍ଲବ ସାନଖେମୁଣ୍ଡିର ପ୍ରୟାସର ପ୍ରଭାବ: ବିଡିଓଙ୍କ “ଗାଁକୁ ଚାଲ ଅଭିଯାନ” ଆରମ୍ଭ

ସାନଖେମୁଣ୍ଡି : ଗ୍ରାମାଞ୍ଚଳର ଅବହେଳିତ ଓ ବଞ୍ଚିତ ଲୋକଙ୍କ ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣିବା ସହ ସରକାରୀ ଯୋଜନାର ସଠିକ କାର୍ଯ୍ୟକାରିତା ଉପରେ ନଜର ରଖିବା ଉଦ୍ଦେଶ୍ୟରେ ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ଆରମ୍ଭ ହୋଇଥିବା “ଗାଁ ଦୁଃଖସୁଖରେ ସାମ୍ବାଦିକ” କାର୍ଯ୍ୟକ୍ରମ ଏବେ ପ୍ରଶାସନିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି। ଗତ ଏକ ମାସ ଧରି ପ୍ରତି ଶନିବାର ପ୍ରେସ କ୍ଲବର ସଦସ୍ୟମାନେ ବିଭିନ୍ନ ଗ୍ରାମକୁ ପହଞ୍ଚି ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି। ଲୋକଙ୍କ ଦୁଃଖସୁଖ ବୁଝିବା ସହ ସେମାନଙ୍କ ସମସ୍ୟା, ଅଭାବ ଓ ଅଭିଯୋଗକୁ ସାମ୍ନାକୁ ଆଣିବା ସହିତ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସଚେତନ କରାଯାଉଛି। ସେହିପରି ଦୁର୍ନୀତି, ଅନିୟମିତତା କିମ୍ବା ସରକାରୀ ସୁବିଧାରୁ ବଞ୍ଚିତ ହେବା ସମ୍ପର୍କିତ ଘଟଣାକୁ ଗଣମାଧ୍ୟମ ମାଧ୍ୟମରେ ପ୍ରକାଶ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଛି। ଗତ ୬ ଜୁନରେ ପ୍ରେସ କ୍ଲବର ସଦସ୍ୟମାନେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି. ଗୋବିନ୍ଦପୁର ପଞ୍ଚାୟତର କେ. ଜକର ଗ୍ରାମକୁ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ମୌଳିକ ସୁବିଧାର ଅଭାବ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସ୍ୱାଧୀନତାର 79

ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଗ୍ରାମକୁ ସଂଯୋଗ କରୁଥିବା ଏକ ସୁଦୃଢ଼ ପକ୍କା ରାସ୍ତା ନଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗାଯୋଗ ଭଳି ମୌଳିକ କ୍ଷେତ୍ରରେ ମଧ୍ୟ ଗ୍ରାମଟି ପଛରେ ପଡ଼ି ରହିଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ଅନେକ ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା। ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ଏହି ସମସ୍ତ ସମସ୍ୟାକୁ ଗଣମାଧ୍ୟମରେ ପ୍ରକାଶ କରାଯାଇଥିଲା। ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ସକ୍ରିୟ ହୋଇଥିବା ବେଳେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ଜିତେନ୍ଦ୍ର କୁମାର ମିଶ୍ର “ଗାଁକୁ ଚାଲ ଅଭିଯାନ” ଆରମ୍ଭ କରିଛନ୍ତି। ଏହାର ଅଂଶ ସ୍ୱରୂପ ସେ ଆଜି କେ. ଜକର ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଗ୍ରାମର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସମ୍ଭବପର ପଦକ୍ଷେପ ଗ୍ରହଣ କରିବାକୁ ସେ ଆଶ୍ୱାସନ ଦେଇଥିଲେ। ବିଡ଼ିଓ ଙ୍କ ଏପରି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ସ୍ୱାଗତ ଜଣାଇଛନ୍ତି। ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ସାମ୍ବାଦିକତା କେବଳ ଖବର ସଂଗ୍ରହ ଓ ପ୍ରକାଶନରେ ସୀମିତ ନୁହେଁ; ବରଂ ସମାଜର ଅବହେଳିତ ଓ ପଛୁଆ ବର୍ଗଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇ ସମାଧାନର ବାଟ ଖୋଲିବାରେ ଏହା ଏକ ପ୍ରଭାବଶାଳୀ ମାଧ୍ୟମ। ପ୍ରେସ କ୍ଲବ ସାନଖେମୁଣ୍ଡିର ଏହି ଅଭିନବ ପଦକ୍ଷେପ ଗ୍ରାମାଞ୍ଚଳର ଲୋକଙ୍କ ମନରେ ନୂତନ ଆଶା ଓ ବିଶ୍ୱାସ ସୃଷ୍ଟି କରିଥିବା ମତ ପ୍ରକାଶ ପାଉଛି।

ରିପୋର୍ଟ : ଅଶୋକ କୁମାର ସାହୁ 

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0