ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ

Aug 3, 2026 - 21:48
 0  19
ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ

ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ ।

ବିଶ୍ୱ ଅର୍ଥନୀତିର ବିକାଶରେ ବାଣିଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ

ହିଞ୍ଜିଳିକାଟୁ, ୦୩/୦୮(ଜାଗୃତି ଖବର) : ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ଅବସରରେ ସୋମବାର ସକାଳ ୧୧ଟାରେ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏକ ଆଲୋଚନାଚକ୍ର ଓ ସମାରୋହ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ହରିହର ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଅର୍ଥନୀତିରେ ବାଣିଜ୍ୟର ଗୁରୁତ୍ୱ ଓ ଆଧୁନିକ ସମୟରେ ବାଣିଜ୍ୟ ଶିକ୍ଷାର ଆବଶ୍ୟକତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ତଥା ସମ୍ବଳ ବ୍ୟକ୍ତି ଭାବେ ଡ଼. ବିଶ୍ୱମୋହନ ଜେନା, ଡ଼. ଗୋପାଳ କୃଷ୍ଣ ପାଣିଗ୍ରାହୀ, ଡ଼. ଶାରଦା ପ୍ରସାଦ ସାହୁ ଏବଂ ଡ଼. ଲଳିତ ମୋହନ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ପ୍ରଫେସର ପ୍ରବୋଧ କୁମାର ହୋତା ମୁଖ୍ୟ ବକ୍ତା ଭାବେ ବାଣିଜ୍ୟର ବର୍ତ୍ତମାନ ସ୍ଥିତି, ବିଶ୍ୱ ବଜାରର ପରିବର୍ତ୍ତିତ ଧାରା ଏବଂ ଭାରତ ପାଇଁ ଏହାର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ। ବାଣିଜ୍ୟ ବିଭାଗର ମୁଖ୍ୟ ଡ଼. ପ୍ରଫୁଲ୍ଲ କୁମାର ରଥ କାର୍ଯ୍ୟକ୍ରମର ଆବାହକ ଭାବେ ଦାୟିତ୍ୱ ତୁଲାଇଥିବାବେଳେ ଅଧ୍ୟାପିକା ସାଇଲକ୍ଷ୍ମୀ ଆମ୍ବାତି ସୁନ୍ଦର ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡ଼. ସୁଦାମ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମର ବ୍ୟବସ୍ଥାପନାରେ ସହଯୋଗ କରିଥିଲେ। ବକ୍ତାମାନେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଆମଦାନି ଓ ରପ୍ତାନି କେବଳ ବ୍ୟବସାୟରେ ସୀମିତ ନ ରହି ଚାକିରି ସୃଷ୍ଟି, ଶିଳ୍ପର ବିକାଶ, ପ୍ରଯୁକ୍ତିର ଆଦାନ-ପ୍ରଦାନ ଏବଂ ଦେଶର ଆର୍ଥିକ ଅଭିବୃଦ୍ଧିର ମୂଳ ଆଧାରରେ ପରିଣତ ହୋଇଛି। ଭାରତ ସମେତ ବିଭିନ୍ନ ଦେଶ ନିଜସ୍ୱ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇ ବୈଦେଶିକ ମୁଦ୍ରା ଅର୍ଜନ କରୁଥିବାବେଳେ, ଡିଜିଟାଲ୍ ବାଣିଜ୍ୟ ଓ ଇ-କମର୍ସର ବିକାଶ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ବିଶେଷଜ୍ଞମାନଙ୍କ ମତରେ, ନ୍ୟାୟସଙ୍ଗତ ଏବଂ ସନ୍ତୁଳିତ ବାଣିଜ୍ୟ ନୀତି, ସ୍ଥାନୀୟ ଉତ୍ପାଦର ଗୁଣବତ୍ତା ବୃଦ୍ଧି, ରପ୍ତାନିକୁ ପ୍ରୋତ୍ସାହନ ଏବଂ ନବୀନ ଉଦ୍ୟୋଗୀଙ୍କୁ ସହଯୋଗ ପ୍ରଦାନ କରିବା ଦ୍ୱାରା ଭାରତ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବ। ଏହି ଅବସରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ବିଶେଷଜ୍ଞମାନେ ଉପସ୍ଥିତ ରହି ବିଶ୍ୱ ବାଣିଜ୍ୟର ଭବିଷ୍ୟତ, ଆର୍ଥିକ ବିକାଶରେ ଏହାର ଅବଦାନ ଓ ବାଣିଜ୍ୟ ଶିକ୍ଷାର ଗୁରୁତ୍ୱ ଉପରେ ମତବିନିମୟ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଶେଷରେ ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଅତିଥି ଓ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଯାଇଥିଲା।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0