ଶେରଗଡ଼ରେ ମହାପ୍ରଭୁଙ୍କ ଘୋଷଯାତ୍ରା ।

Jul 18, 2026 - 00:21
 0  31
ଶେରଗଡ଼ରେ ମହାପ୍ରଭୁଙ୍କ ଘୋଷଯାତ୍ରା ।
ଶେରଗଡ଼ରେ ମହାପ୍ରଭୁଙ୍କ ଘୋଷଯାତ୍ରା ।

ଶେରଗଡ଼ରେ ମହାପ୍ରଭୁଙ୍କ ଘୋଷଯାତ୍ରା ।

ଶେରଗଡ ,୧୭/୦୭/୨୦୨୬(ଜାଗୃତି ଖବର) : ହଜାର ହଜାର ଭକ୍ତଙ୍କ ସମାଗମ ପାଲଟିଛି ଶେରଗଡ଼ ବଡ଼ଦାଣ୍ଡ। ଆଡ଼ପ ମଣ୍ଡପ ଅଭିମୁଖେ ଗଡ଼ିଛି ମହାପ୍ରଭୁଙ୍କ ରଥ। ଘଣ୍ଟ ଘଣ୍ଟା, ହରିବୋଲ ଆଉ 'ଜୟ ଜଗନ୍ନାଥ' ଧ୍ୱନିରେ ପ୍ରକମ୍ପିତ ହୋଇଛି ପୁରା ପରିବେଶ।
ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନର ପର୍ବ ଏହି ଶ୍ରୀଗୁଣ୍ଡିଚା ଯାତ୍ରା। ଆଜି ଶେରଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସକାଳୁ ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ସୂର୍ଯ୍ୟପୂଜା ଆଦି ସମସ୍ତ ସ୍ୱତନ୍ତ୍ର ନୀତିକାନ୍ତି ଶେଷ ହୋଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ଶ୍ରୀଜିଉମାନଙ୍କର ପହଣ୍ଡି ବିଜେ। ପ୍ରଥମେ ବଡ଼ଭାଇ ଶ୍ରୀ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ।
ରଥରେ ଠାକୁରମାନେ ବିରାଜମାନ ହେବା ପରେ ଶେରଗଡ଼ର ରାଜା ସାହେବ ଶ୍ରୀ ପ୍ରସନ୍ନ ସିଂହ ଦେଓ ପାରମ୍ପରିକ ରୀତିନୀତିରେ ଛେରାପହଁରା କରିଥିଲେ। ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶେରଗଡ଼ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ଅଗ୍ନିଶମ ବାହିନୀ ସଜାଗ ରହିଥିବା ବେଳେ, ସ୍ଥାନୀୟ ବି.ଡି.ଓ (B.D.O) ଏବଂ ତହସିଲଦାରଙ୍କ ଉପସ୍ଥିତିରେ ରଥଟଣା ଆରମ୍ଭ ହୋଇଥିଲା।
ଶ୍ରୀମନ୍ଦିର ଠାରୁ ଆଡ଼ପ ମନ୍ଦିର ପର୍ଯ୍ୟନ୍ତ ଭକ୍ତିମୟ ପରିବେଶରେ ଗଢି ଉଠିଥିଲା ମହାପ୍ରଭୁଙ୍କ ରଥ। ଅନ୍ୟପଟେ ଉତ୍ସବକୁ ଆହୁରି ସରସ ସୁନ୍ଦର କରିବା ପାଇଁ କମିଟି ତରଫରୁ ମୀନା ବଜାରର ଆୟୋଜନ କରାଯାଇଛି। ଏହା ସହିତ ଆଜି ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ଓ ଭଜନ ସମାରୋହର ମଜା ଉଠାଇବେ ଦର୍ଶକ।

ଶେରଗଡ ରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0