କେ. ବୁରୁପଡ଼ା ଚୋରି ଘଟଣାରେ ବଡ଼ଗଡ଼ ପୋଲିସକୁ ବଡ଼ ସଫଳତା ।

Oct 7, 2026 - 20:50
 0  24
କେ. ବୁରୁପଡ଼ା ଚୋରି ଘଟଣାରେ ବଡ଼ଗଡ଼ ପୋଲିସକୁ ବଡ଼ ସଫଳତା ।

କେ. ବୁରୁପଡ଼ା ଚୋରି ଘଟଣାରେ ବଡ଼ଗଡ଼ ପୋଲିସକୁ ବଡ଼ ସଫଳତା ।

ଗଞ୍ଜାମ, ବଡ଼ଗଡ଼ (ରିପୋର୍ଟ– ଶଙ୍କର ପାଣିଗ୍ରାହୀ), ୦୭/୧୦/୨୦୨୬: ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତର କେ. ବୁରୁପଡ଼ା ଗ୍ରାମରେ ଘଟିଥିବା ଚୋରି ଘଟଣାରେ ବଡ଼ଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବା ସହ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୧,୯୯,୮୦୦ ଟଙ୍କା ଉଦ୍ଧାର କରି ପୀଡ଼ିତାଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ୫ ତାରିଖ ବିଳମ୍ବିତ ରାତିରେ କେ. ବୁରୁପଡ଼ା ଗ୍ରାମର ବବିତା ମଲ୍ଲିକଙ୍କ ଘରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା ଚୋରି ହୋଇଥିଲା। ଏନେଇ ବବିତା ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ। ଏତଲାରେ ସେ ଚୋରକୁ ଦେଖିଥିବା ଏବଂ ଚିହ୍ନିପାରିବେ ବୋଲି ଉଲ୍ଲେଖ କରିଥିବା ଜଣାପଡ଼ିଛି। ଏତଲା ଆଧାରରେ ବଡ଼ଗଡ଼ ଥାନା ଅଧିକାରୀ ବିମଳ କୁମାର କହଁର ତତ୍ପରତା ପ୍ରକାଶ କରି ତୁରନ୍ତ ପୋଲିସ ଟିମ୍‌କୁ ଅଭିଯୁକ୍ତକୁ ଧରିବା ପାଇଁ ନିୟୋଜିତ କରିଥିଲେ। ଥାନା ଅଧିକାରୀ ନିଜେ ମଧ୍ୟ ଘଟଣାସ୍ଥଳକୁ ଯାଇ ଚୋରି କିପରି ଘଟିଥିଲା, ସେନେଇ ତଦନ୍ତ କରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଗତ ୫ ତାରିଖ ରାତିରେ ବଳରାମପୁର ଗ୍ରାମରେ ନାଟକ ଅନୁଷ୍ଠିତ ହେଉଥିଲା। ଏହି ସୁଯୋଗରେ ବୁରୁପଡ଼ା ଗ୍ରାମର ଅଧିକାଂଶ ଲୋକ ନାଟକ ଦେଖିବାକୁ ଯାଇଥିଲେ। ଘରେ ବବିତା ଶୋଇଥିବା ସମୟରେ ଚୋର ଘରର ମଝି ଓଳି ପଟୁ ପ୍ରବେଶ କରି ଟଙ୍କା ଥିବା କାଠ ପେଡ଼ି ଖୋଲି ଟଙ୍କା ନେଇ ଚାଲିଯାଉଥିଲା। କବାଟ ଖୋଲିବାର ଶବ୍ଦ ଶୁଣି ବବିତା କିଛି ଶବ୍ଦ ହେଉଥିବା ଅନୁଭବ କରି ମୋବାଇଲ୍ ଟର୍ଚ୍ଚ ଧରି ପଛ ଘରକୁ ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ଟଙ୍କା ନେଇ ଚାଲିଯାଉଥିବା ଦେଖିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କୁ ସେ ଚିହ୍ନିଥିବା ପୋଲିସକୁ କହିଥିବା ଜଣାପଡ଼ିଛି। ସୂଚନା ମୁତାବକ, ସ୍ୱାମୀହୀନ ବବିତା ମଲ୍ଲିକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ନେଇଥିଲେ। ଘର କାମରେ ଲଗାଇବା ପାଇଁ ତିନି କିସ୍ତିରେ ମିଳିଥିବା ମୋଟ ୨ ଲକ୍ଷ ୧୦ ହଜାର ଟଙ୍କା ସେ ନିଜ ଘରର କାଠ ପେଡ଼ିରେ ସାଇତି ରଖିଥିଲେ। ଟଙ୍କା ଚୋରି ହୋଇଯିବା ପରେ ବବିତା ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ତେବେ ତାଙ୍କ ଏତଲାର ୨୪ ଘଣ୍ଟା ମଧ୍ୟରେ ବଡ଼ଗଡ଼ ପୋଲିସ ଅଭିଯୁକ୍ତକୁ ଧରିବା ସହ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୧,୯୯,୮୦୦ ଟଙ୍କା ଉଦ୍ଧାର କରି ବବିତା ମଲ୍ଲିକଙ୍କୁ ହସ୍ତାନ୍ତର କରିଥିଲା। ପରେ ଅଭିଯୁକ୍ତକୁ ହାଜତକୁ ପଠାଯାଇଥିବା ଜଣାପଡ଼ିଛି। ବଡ଼ଗଡ଼ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ପୋଲିସର ଏଭଳି ତତ୍ପରତା ପାଇଁ ବବିତା ମଲ୍ଲିକ ଥାନା ଅଧିକାରୀଙ୍କ ସମେତ ସମଗ୍ର ପୋଲିସ ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0