ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ–୨ ପ୍ରବେଶ ଉତ୍ସବ; ନୈତିକ ଶିକ୍ଷା ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ
ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ–୨ ପ୍ରବେଶ ଉତ୍ସବ; ନୈତିକ ଶିକ୍ଷା ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ
ପାଟପୁର, ଗଞ୍ଜାମ: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ–୨ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଓ ସ୍ୱାଗତ ଉତ୍ସବ ଉତ୍ସାହର ସହିତ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବାଗତ ଶିକ୍ଷାର୍ଥୀଙ୍କୁ ପୁଷ୍ପଗୁଚ୍ଛ ଓ ଶୁଭେଚ୍ଛା ଜଣାଇ ସ୍ୱାଗତ କରାଯିବା ସହ ମହାବିଦ୍ୟାଳୟର ଶୃଙ୍ଖଳା, ନୀତିନିୟମ ଏବଂ ଶିକ୍ଷାଗତ ପରିବେଶ ସମ୍ପର୍କରେ ଅବଗତ କରାଯାଇଥିଲା।
ଅଧ୍ୟକ୍ଷ ଶ୍ରୀ ରଥ ନିଜ ଅଭିଭାଷଣରେ କହିଥିଲେ ଯେ, କେବଳ ପାଠପଢ଼ାରେ ସଫଳତା ନୁହେଁ, ବରଂ ନୈତିକ ମୂଲ୍ୟବୋଧ, ଉତ୍ତମ ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ଜଣେ ଛାତ୍ରର ପ୍ରକୃତ ପରିଚୟ ସୃଷ୍ଟି କରିଥାଏ। ଏହି ଦିଗରେ ସମସ୍ତ ଶିକ୍ଷାର୍ଥୀଙ୍କୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଯୁକ୍ତ–୨ ନାମଲେଖା ସଂଯୋଜକ ଓ ଷ୍ଟାଫ୍ କାଉନସିଲ୍ ସଚିବ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଭଗବଦ୍ଗୀତାର ଆଦର୍ଶକୁ ଅନୁସରଣ କରି ଜ୍ଞାନ, କର୍ମ ଓ ନୈତିକତାର ସମନ୍ୱୟରେ ଜୀବନକୁ ସଫଳ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଜଣାଇଥିଲେ।
ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ‘ଶିକ୍ଷା ଜ୍ୟୋତି’, ‘ସାଥୀ’, ଅନଲାଇନ୍ କ୍ଲାସ, ୱେବିନାର ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଓଡ଼ିଶା ସରକାରଙ୍କ ‘ଜ୍ଞାନୋଦୟ’ ଯୋଜନା ଅଧୀନରେ ଦେୟମୁକ୍ତ ଶିକ୍ଷା ସୁବିଧା ପାଇବାକୁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ବୋଲି ଜଣାଇଥିଲେ। ନିର୍ଦ୍ଧାରିତ ଉପସ୍ଥାନ ନ ଥିଲେ ନାମଲେଖା, ମେଧାବୃତ୍ତି ଓ ପରୀକ୍ଷା ସମ୍ବନ୍ଧୀୟ ସୁବିଧା ପ୍ରଭାବିତ ହେବ ବୋଲି ମଧ୍ୟ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଶିକ୍ଷା ଅଧିକାରୀ ସୁଧାଂଶୁ ମୁଖୀ ପାଢ଼ୀ, ଅଧ୍ୟାପକ ସୁବାସ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ଦାସ, ଡ. ସୁରେନ୍ଦ୍ର ଶବର, ସଞ୍ଜୟ କୁମାର ଭୂୟାଁ, କାଳୀ ପ୍ରସାଦ ରେଡ୍ଡୀ, ଅଧ୍ୟାପିକା ମେଡ୍ଲିନ୍ କୁଜୁର୍, ଡ. ଶାରଦା ଓ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ନିଜ ଅଭିଭାଷଣରେ ଶିକ୍ଷାର୍ଥୀଙ୍କୁ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ସଫଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ଦେଇଥିଲେ।
ଏହି ଅବସରରେ ଅଧ୍ୟାପିକା ଓଁକାରଶ୍ରୀ ପଣ୍ଡା, ସରସ୍ୱତୀ ପଣ୍ଡା, ବର୍ଷା ପାଣିଗ୍ରାହୀ, ରାଜା ସିଂ ଓ ବଡ୍ଡୁ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନବାଗତ ଛାତ୍ରଛାତ୍ରୀମାନେ ନିଜର ପରିଚୟ ପ୍ରଦାନ କରିବା ସହ ସଙ୍ଗୀତ, ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ ପରିବେଷଣ ମାଧ୍ୟମରେ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ।
ଗଞ୍ଜାମ ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0