ପାଟପୁର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

Oct 11, 2026 - 09:09
 0  40
ପାଟପୁର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ପାଟପୁର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ଜିଉରା ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପ୍ରଥମ ସ୍ଥାନ

ସାନଖେମୁଣ୍ଡି (ଅଶୋକ କୁମର ସାହୁ ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର କ୍ଲଷ୍ଟରର ଜୟପୁର କଲୋନୀସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟରର ସିଆରସିସି ଦେବହରି ଦୋରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ବାବା ପ୍ରସାଦ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ପ୍ରତିଭା ଓ ସୃଜନଶୀଳତାର ବିକାଶ କ୍ଷେତ୍ରରେ ‘ସୁରଭି’ ମହୋତ୍ସବର ଗୁରୁତ୍ୱ ରହିଛି ବୋଲି ସେ ମତପ୍ରକାଶ କରିଥିଲେ। ଶିକ୍ଷାର୍ଥୀମାନେ ନିଜ ପ୍ରତିଭାକୁ ସମାଜ ଓ ଜନକଲ୍ୟାଣରେ ବିନିଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଆରସିସି ରିତାଞ୍ଜଳି ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁକଦେବ ମଲ୍ଲିକ ଓ କାମେଶ୍ୱର ମଲ୍ଲିକଙ୍କ ସମେତ ବିଭିନ୍ନ କ୍ଲଷ୍ଟରର ସିଆରସିସି, ପ୍ରଧାନଶିକ୍ଷକ ଦୀନବନ୍ଧୁ ବେହେରା ଓ ସୁନାପୁଅ କପାଟ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ ଶଙ୍କର୍ଷଣ ସେଠୀ ମଞ୍ଚ ପରିଚାଳନା କରିଥିବାବେଳେ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ କ୍ଲଷ୍ଟରର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

ମହୋତ୍ସବର ସାଂସ୍କୃତିକ ପ୍ରତିଯୋଗିତାରେ ଜିଉରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରିଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିକ୍ଷାର୍ଥୀମାନେ ବ୍ଲକସ୍ତରୀୟ ‘ସୁରଭି’ ମହୋତ୍ସବରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ।

ଶିଶୁମାନଙ୍କ ପ୍ରତିଭାର ବିକାଶ ଓ ସେମାନଙ୍କୁ ନିଜର କଳା, ଜ୍ଞାନ ଓ ସୃଜନଶୀଳତା ପ୍ରଦର୍ଶନ ପାଇଁ ମଞ୍ଚ ଯୋଗାଇଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପାଟପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ରିପୋର୍ଟ : ଅଶୋକ କୁମାର ସାହୁ 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0