ତାରାତାରିଣୀ କଲେଜ, ପୁରୁଷୋତ୍ତମପୁର ସ୍ୱୟଂରକ୍ଷା, ସାଇବର ସୁରକ୍ଷା ଓ ନିଶାମୁକ୍ତ କ୍ୟାମ୍ପସ ନେଇ ସଚେତନତା କାର୍ଯ୍ୟକ୍ରମ ।
ସ୍ୱୟଂରକ୍ଷା, ସାଇବର ସୁରକ୍ଷା ଓ ନିଶାମୁକ୍ତ କ୍ୟାମ୍ପସ ନେଇ ସଚେତନତା କାର୍ଯ୍ୟକ୍ରମ ।
ପୁରୁଷୋତ୍ତମପୁର ,୨୪ - ୦୮- ୨୦୨୬(ଜାଗୃତି ଖବର) : ତାରାତାରିଣୀ କଲେଜର ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ପକ୍ଷରୁ ସ୍ୱୟଂରକ୍ଷା, ସାଇବର ସୁରକ୍ଷା ଓ ନିଶାମୁକ୍ତ କ୍ୟାମ୍ପସ ଗଠନ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଯାଇଛି। ଏଥିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ତାରାତାରିଣୀ କଲେଜର ପ୍ରିନ୍ସିପାଲ୍ ଶ୍ରୀ ଅରବିନ୍ଦ ଦାସ ଅଧ୍ୟକ୍ଷତା କରିଥିଲେ। ସେ ନିଶାଦ୍ରବ୍ୟଠାରୁ ଦୂରେ ରହି ଜଣେ ଭଲ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱୟଂରକ୍ଷାର ଗୁରୁତ୍ୱ ଓ ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ସୁଜିତ କୁମାର ନାୟକ, SDPO, ପୁରୁଷୋତ୍ତମପୁର ସାଇବର ସୁରକ୍ଷା, ଅନଲାଇନ୍ ଠକେଇରୁ ସୁରକ୍ଷିତ ରହିବାର ଉପାୟ ଏବଂ ନିଶାମୁକ୍ତ କ୍ୟାମ୍ପସର ଉପକାରିତା ସମ୍ପର୍କରେ ସଚେତନ କରିଥିଲେ। ଶ୍ରୀ ପ୍ରଫୁଲ୍ଲ ରଥ ଯୁବତୀମାନଙ୍କ ପାଇଁ ସ୍ୱୟଂରକ୍ଷାର ଗୁରୁତ୍ୱ ବୁଝାଇବା ସହ ନିଶାଦ୍ରବ୍ୟର ବିପଦ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଶ୍ରୀ ରାଜଗୋପାଳ ରାଓ ସ୍ୱୟଂରକ୍ଷାର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।
ସ୍ୱୟଂରକ୍ଷା ପ୍ରଶିକ୍ଷିକା ମିସ୍ ସକାମ୍ବେରୀ ସାହୁ ଓ ମିସ୍ ସଙ୍ଗୀତା ନାହାକ ଛାତ୍ରୀମାନଙ୍କୁ ସ୍ୱୟଂରକ୍ଷାର ବିଭିନ୍ନ କୌଶଳ ଓ ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପୁରୁଷୋତ୍ତମପୁର ଥାନାର IIC ଶ୍ରୀ କୁଳମଣି ସେଠୀ ନିଶାଦ୍ରବ୍ୟର କୁପ୍ରଭାବ, ସାଇବର ଅପରାଧରୁ ସୁରକ୍ଷା ଏବଂ ଅପରାଧମୁକ୍ତ ଜୀବନଯାପନ ସମ୍ପର୍କରେ ସଚେତନ କରିଥିଲେ। ଆଡମିନିଷ୍ଟ୍ରେଟିଭ୍ ଅଫିସର ଡ. ପ୍ରଦୀପ କୁମାର ସାହୁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଏବଂ ଏହାର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀମତୀ ନମ୍ରତା ମିଶ୍ର, ଶ୍ରୀମତୀ ସୁଜାତା ଦାସ, ମିନାକ୍ଷୀ ଦାସ, ଡ. ସୁବ୍ରତ ଷଡ଼ଙ୍ଗୀ ଓ ଶ୍ରୀ ଅନିଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ହରିପ୍ରିୟା ନାୟକଙ୍କ ସମେତ ଆୟୋଜକମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ କାର୍ଯ୍ୟକ୍ରମଟି ଏକ ସଫଳ ସଚେତନତା ଅଭିଯାନର ରୂପ ନେଇଥିଲା। “ନିଶାକୁ ନା, ସୁସ୍ଥ ଜୀବନକୁ ହଁ”, “ସାଇବର ସୁରକ୍ଷା ଆମର ଦାୟିତ୍ୱ” ଓ “ସ୍ୱୟଂରକ୍ଷା ହେଉଛି ଆତ୍ମବିଶ୍ୱାସର ଶକ୍ତି” ଭଳି ସଚେତନତା ବାର୍ତ୍ତା ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା ।
ଶେଷରେ, ସ୍ୱୟଂରକ୍ଷା ପ୍ରଶିକ୍ଷିକା ମିସ୍ ସକାମ୍ବେରୀ ସାହୁ ଓ ମିସ୍ ସଙ୍ଗୀତା ନାହାକଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱୟଂରକ୍ଷାର ବିଭିନ୍ନ କୌଶଳର ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ଏହା ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୁରକ୍ଷା ସଚେତନତା ଓ ସ୍ୱୟଂରକ୍ଷା ଦକ୍ଷତା ବୃଦ୍ଧିରେ ବିଶେଷ ଭାବେ ସହାୟକ ହୋଇଥିଲା।
ଗଂଜାମ ଜିଲ୍ଲାରୁ ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0