ଗଞ୍ଜାମରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ। ୫୧,୧୩୩ଟି ମାମଲାର ଆପୋଷ ସମାଧାନ।

Sep 13, 2026 - 15:05
 0  1
ଗଞ୍ଜାମରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ। ୫୧,୧୩୩ଟି ମାମଲାର ଆପୋଷ ସମାଧାନ।
ଗଞ୍ଜାମରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ। ୫୧,୧୩୩ଟି ମାମଲାର ଆପୋଷ ସମାଧାନ।

ଗଞ୍ଜାମରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ।

୫୧,୧୩୩ଟି ମାମଲାର ଆପୋଷ ସମାଧାନ।

ବ୍ରହ୍ମପୁର,  ୧୩/୦୯/୨୦୨୬(ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଜିଲ୍ଲାର ବିଭିନ୍ନ ଅଦାଲତରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଜିଲ୍ଲା କୋର୍ଟ ସମେତ ଜିଲ୍ଲାର ସମସ୍ତ ଅଦାଲତରେ ଆୟୋଜିତ ଏହି ଲୋକ ଅଦାଲତରେ ମୋଟ ୫୧,୧୩୩ଟି ମାମଲାର ଆପୋଷ ସମାଧାନ କରାଯାଇଥିବା ବେଳେ ସମୁଦାୟ ୧୦ କୋଟି ୫ ଲକ୍ଷ ୭୮ ହଜାର ୮୧୫ ଟଙ୍କା ପ୍ରଦାନ ପାଇଁ ଆଦେଶ ହୋଇଛି।

ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତ ପାଇଁ ବିଭିନ୍ନ ନ୍ୟାୟାଳୟରେ ୧୭ଟି ବେଞ୍ଚ ଗଠନ କରାଯାଇଥିଲା। ପ୍ରତ୍ୟେକ ବେଞ୍ଚରେ ଜଣେ ନ୍ୟାୟିକ ଅଧିକାରୀଙ୍କ ସହ ଜଣେ ଆଇନଜୀବୀ ଓ ଜଣେ ସମାଜସେବୀଙ୍କୁ ସାମିଲ କରାଯାଇ ମାମଲାଗୁଡ଼ିକର ଆପୋଷ ସମାଧାନ କରାଯାଇଥିଲା।

ଲୋକ ଅଦାଲତରେ ୫୨ଟି ଫୌଜଦାରୀ ଆପୋଷଯୋଗ୍ୟ ମାମଲାର ସମାଧାନ ହୋଇଥିବା ବେଳେ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଅଧୀନରେ ୨୫ଟି ମାମଲାରେ ୬୬ ଲକ୍ଷ ୩୫ ହଜାର ୭୫୭ ଟଙ୍କା ଆଦାୟ ପାଇଁ ଆଦେଶ ହୋଇଛି। ସେହିପରି ବ୍ୟାଙ୍କ ଋଣ ଆଦାୟ ସମ୍ବନ୍ଧୀୟ ୧୯୩ଟି ମାମଲାରେ ୯୫ ଲକ୍ଷ ୯୮ ହଜାର ୮୧୯ ଟଙ୍କାର ସମାଧାନ କରାଯାଇଛି।

ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲର ୭୫ଟି ମାମଲାରେ ୭ କୋଟି ୫ ଲକ୍ଷ ୯୧ ହଜାର ଟଙ୍କାର କ୍ଷତିପୂରଣ ନିର୍ଦ୍ଧାରଣ ହୋଇଥିବା ବେଳେ ୨୬୧ଟି ଟ୍ରାଫିକ୍ ଚାଲାଣ ମାମଲା, ୧୧ଟି ଶ୍ରମ ବିବାଦ, ୫୪ଟି ବୈବାହିକ ବିବାଦ ଏବଂ ୧୭୯ଟି ଅନ୍ୟାନ୍ୟ ମାମଲାର ସମାଧାନ କରାଯାଇଛି। ଏଥିସହ ୫୦,୩୯୮ଟି ରାଜସ୍ୱ ମାମଲାରେ ୫ ଲକ୍ଷ ୯୪ ହଜାର ୫୩୮ ଟଙ୍କା ଆଦାୟ ହୋଇଥିବା ବେଳେ ସ୍ଥାୟୀ ଲୋକ ଅଦାଲତରେ ଜନସେବା ସମ୍ବନ୍ଧୀୟ ୫ଟି ମାମଲାର ସମାଧାନ ହୋଇଛି। ଏହାସହ ୫୫ଟି ଦେୱାନୀ ମାମଲାର ସମାଧାନ ସହ ୭୫ ଲକ୍ଷ ୭୮ ହଜାର ୪୫୪ ଟଙ୍କାର ଡିକ୍ରି ହୋଇଛି।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ଅଶାନ୍ତ କୁମାର ଦାସଙ୍କ ସମେତ ଦ୍ୱିତୀୟ ଏମ୍‌ଏସିଟି ବିଶ୍ୱଜିତ ଦାସ, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ନରେଶ ମହାନ୍ତି, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଲଳିତା ମଞ୍ଜରୀ ପଟ୍ଟନାୟକ ଓ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିବସ୍ୱତ ଗୌତମ ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନରେ ଅଂଶଗ୍ରହଣ କରିଥିଲେ। ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ଲୋକ ଅଦାଲତର ସୁପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ନ୍ୟାୟାଳୟର ବିଚାରପତି, ଆଇନଜୀବୀ, ବ୍ୟାଙ୍କ ଅଧିକାରୀ, କୋର୍ଟ କର୍ମଚାରୀ ଓ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ । 

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର 

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0