ବାଣ ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ, ପରିବାରର ୩ ଜଣ ଗୁରୁତର
ବାଣ ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ, ପରିବାରର ୩ ଜଣ ଗୁରୁତର
ସାନଖେମୁଣ୍ଡି, ୨୪/୬ — ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ସାନଖେମୁଣ୍ଡି ବ୍ଲକର ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଦୁର୍ଭାଗ୍ୟଜନକ ବାଣ ବିସ୍ଫୋରଣ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ପରିବାରର ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଲେ ସିଙ୍ଗପୁର ଗ୍ରାମର ଆକାଶ ଦାସ (୨୨)। ଆହତମାନେ ହେଲେ ତାଙ୍କ ବାପା ସନ୍ତୋଷ ଦାସ (୪୫), ମା ବିଷ୍ଣୁପ୍ରିୟା ଦାସ (୩୫) ଓ ବଡ଼ ମା ଲକ୍ଷ୍ମୀ ଦାସ (୫୦)।
ମିଳିଥିବା ସୂଚନା ଅନୁସାରେ, ଆକାଶ ଘର ଭିତରେ ବାଣ ପ୍ରସ୍ତୁତ କରୁଥିବା ସମୟରେ ଘର ନିକଟସ୍ଥ ବିଦ୍ୟୁତ୍ ଟ୍ରାନ୍ସଫର୍ମାରରେ ବଜ୍ରାଘାତ ହେବାରୁ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏପରି ଥିଲା ଯେ ଘରର ଟିଣ ଛାଦ ଖଣ୍ଡଖଣ୍ଡ ହୋଇ ଚାରିଦିଗରେ ଛିଟିଯାଇଥିଲା।
ଘଟଣା ପରେ ପରିବାରର ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ତିନିଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରୁ ଆକାଶଙ୍କ ମୃତଦେହ ଜବତ କରି ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0