ହିମାଚଳ ପ୍ରଦେଶରେ ଚମକିଲେ ଓଡ଼ିଶାର କୁନି ପ୍ରତିଭା: ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ସମୀକ୍ଷା ଓ ଦିବ୍ୟାଂଶୀଙ୍କୁ ମିଳିଲା ଦ୍ଵିତୀୟ ସ୍ଥାନ ।
ହିମାଚଳ ପ୍ରଦେଶରେ ଚମକିଲେ ଓଡ଼ିଶାର କୁନି ପ୍ରତିଭା: ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ସମୀକ୍ଷା ଓ ଦିବ୍ୟାଂଶୀଙ୍କୁ ମିଳିଲା ଦ୍ଵିତୀୟ ସ୍ଥାନ ।
ଢେଙ୍କାନାଳ ,୧୧-୦୬-୨୦୨୬ : (ଜାଗୃତି ଖବର): ଓଡ଼ିଶାର କଳା ଓ ସଂସ୍କୃତି ପାଇଁ ପୁଣି ଏକ ଗୌରବର ମୁହୂର୍ତ୍ତ। ହିମାଚଳ ପ୍ରଦେଶର ଶିମଲାଠାରେ ଆୟୋଜିତ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତାରେ ସଫଳତା ହାସଲ କରି ଓଡ଼ିଶା ତଥା ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ଦୁଇ କୁନି ନୃତ୍ୟଶିଳ୍ପୀ। ‘ନୀତା ନୃତ୍ୟାଙ୍ଗନା’ (ନୃତ୍ୟ ଓ ସଙ୍ଗୀତ) ଅନୁଷ୍ଠାନର ଦୁଇ ଛାତ୍ରୀ ସମୀକ୍ଷା ପଣ୍ଡା ଏବଂ ଦିବ୍ୟାଂଶୀ ଦାଶ ଏହି ସଫଳତା ପାଇଛନ୍ତି।
ଶିମଲା ସ୍ଥିତ କାଲିବାରି ହଲ୍ ଠାରେ ୭୧ତମ ଅଲ୍ ଇଣ୍ଡିଆ ଆର୍ଟିଷ୍ଟ ଆସୋସିଏସନ୍ (All India Artists Association) ପକ୍ଷରୁ ଜାତୀୟ ସ୍ତରୀୟ ନୃତ୍ୟ ଓ ନାଟକ ପ୍ରତିଯୋଗିତା ଜୁନ୍ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୬୦ରୁ ଅଧିକ ପ୍ରତିଭାସମ୍ପନ୍ନ କଳାକାର ଭାଗ ନେଇଥିଲେ।
ସମ୍ବଲପୁରୀ ନୃତ୍ୟରେ ବାଜି ମାରିଲେ ଦୁଇ କୁନି ଝିଅ
ଏହି କଡ଼ା ପ୍ରତିଯୋଗିତା ମଧ୍ୟରେ ଓଡ଼ିଶାର ସମୀକ୍ଷା ପଣ୍ଡା ଓ ଦିବ୍ୟାଂଶୀ ଦାଶ ସର୍ବକନିଷ୍ଠ ବିଭାଗରେ ଏକକ ଲୋକନୃତ୍ୟ (ସମ୍ବଲପୁରୀ) ପରିବେଷଣ କରିଥିଲେ। ନିଜର ଚମତ୍କାର ନୃତ୍ୟ ଶୈଳୀ ମାଧ୍ୟମରେ ସେମାନେ ବିଚାରକମାନଙ୍କ ମନ ଜିଣିବା ସହ ଯୁଗ୍ମ ଭାବେ ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ନୃତ୍ୟଗୁରୁ ଆଶିଷ କୁମାର ପାଲ୍ ଏବଂ ଅଜିତ୍ ପାଲ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଦୁଇ ଛାତ୍ରୀ ନୃତ୍ୟ ଶିକ୍ଷା କରି ଏହି ଗୌରବ ହାସଲ କରିଛନ୍ତି।
ଏହି ସ୍ୱତନ୍ତ୍ର ଉତ୍ସବରେ ବଲିଉଡର ଜଣାଶୁଣା ସିନେ ତାରକା ରୋହିତଶ୍ଵ ଗୌର (Rohitashv Gour - 'ଭାଭିଜୀ ଘର୍ ପର୍' ଫେମ୍), ଆସୋସିଏସନ୍ର ଉପସଭାପତି ରେଖା ଗୌର ଏବଂ ସମ୍ପାଦକ ସୁନ୍ଦରଦାଶ ହେମନାନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଏହି ସଫଳ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ।
କୁନି ପ୍ରତିଭାଙ୍କ ଏହି ଜାତୀୟ ସ୍ତରର ସଫଳତା ପାଇଁ ‘ନୀତା ନୃତ୍ୟାଙ୍ଗନା’ ଅନୁଷ୍ଠାନ ତଥା ସ୍ଥାନୀୟ ଅଞ୍ଚଳରେ ଏବେ ଖୁସିର ଲହରୀ ଖେଳିଯାଇଛି ଏବଂ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଢେଙ୍କାନାଳ ରୁ ବ୍ୟୁରୋ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0